ଶରଧାରେ ଲେଖି
ଅଗଣାରେ ଚିତା ଝୋଟି
ବିଛେଇ ଦେଇଛି
ରୂପା ଫୁଲ କୋଟି କୋଟି
ଯୋଡି କଳସରେ
ଦୁଆର ପାଉଛି ଶୋଭା
ଲିପା ପୋଛା ଘର
ଦିଶେ ମୋର ମନଲୋଭା
କାଉ ରାବେ କାଆ କାଆ
ଆଉ କେହି ନୁହଁ ମୋ ଘରକୁ ଏବେ
ଆସୁଛନ୍ତି ମୋର ମାଆ ।।
ଝରା ଶିରାବଣ
ବିଦାୟ ନେଇଛି ତା'ର
ଦେଇ ଧରଣୀକୁ
ଫୁଲ ଫଳ ଭାର ଭାର
ସଫା ନଈ ଧାରେ
ଶରତ ଆସିଛି ଏବେ
ଆସିବାକୁ ଜମା
କରେନି ଡେରି ସେ କେବେ
କଇଁ ହସେ ମନ ଖୋଲି
. ଶେଫାଳି ସୁବାସ ଦେଲାଣି ବିତରି
ମାଆ ଆସୁଛନ୍ତି ବୋଲି ।।
ଶରତ ଆକାଶ
ଦିଶେ ନିରିମଳ ଅତି
ଭାସେ ଧଳା ମେଘ
ଭାରି ଧୀର ତା'ର ଗତି
ରୁପେଲି କିରଣ
ଅଜାଡେ ସରଗଶଶୀ
ଦେଖି ହୁଏ ଖୁସି
ବାତାୟନ ପଥେ ବସି
ଆଉ କିଛି ମନେ ନାହିଁ
ଆବେଗରେ ମୁଁ ଯେ ରହିଛି ଅନାଇ
ମାଆଙ୍କୁ ଦେଖିବା ପାଇଁ ।।
ଆସ ମା' ଦୁଆରେ
ଚାହିଁ ମୁଁ ବସିଛି ଆସ
ଅଶିଣଟା ତୁମ
ଧରାବତରଣ ମାସ
ଆଦରେ ଯତନେ
ବସାଇବି ନେଇ ଘରେ
ପୂଜିବି ତୁମକୁ
ଆନନ୍ଦେ ଭକତି ଭରେ
କରିବନି ନାଇଁ ନାଇଁ
କରୁଣା କରିବ ଦେବ ଖାଲି ମୋତେ
ତୁମରି ପଣତ ଛାଇ ।।
Comments
Loading comments…