ତମ ପାଇଁ ଯେଉଁ କବିତା ଲେଖୁଛି
ଜାଣିଲାଣି ସାରା ଦୁନିଆ
ପ୍ରଶ୍ବାସ ନେବାକୁ ଲାଗିଲାଣ କଷ୍ଟ
ବଞ୍ଚିବାକୁ ଲାଗେ ଛାନିଆ
ବସନ୍ତର ଚୋରା ମଳୟ ଗନ୍ଧରେ
ଯାଉଥିଲା ବିତି ସମୟ
ଆଜି ଏ ବୟସେ ମଳୟ ବହିଲେ
ଲାଗୁ ଅଛି ଭାରି ଅଥୟ
ଆମ୍ବ ତୋଟାମାଳେ ବସି ଗଛ ମୂଳେ
ଚାହିଁ ରହୁଥିଲି ମୁହଁକୁ
ସେହି ବାଟ ଦେଇ ଯାଏ ଯେବେ ଆଜି
ଖୋଜି ବସେ ମନ ତୁମକୁ
ଶରତ ଆକାଶ ନଦୀପଠା ତୀରେ
କାଶତଣ୍ଡୀ ଫୁଲ ଛିଡାଇ
ଗଭାରେ ତୁମର ଦେଉଥିଲି ଖୋସି
ସରମରେ ଯାଅ ଲାଜେଇ
ଶୂନ୍ ଶାନ୍ ଲାଗେ ଶରତ ଆକାଶ
ନଦୀ କୂଳ ତୋଟା ତମାଳ
ତମେ ଗଲା ଦିନୁ ବଦଳି ଯାଇଛି
ହୃଦ ମୋ ହୋଇଛି ଦିଫାଳ
ବରଷାରେ ଭିଜା ପାଦଚଲା ରାସ୍ତା
ଲମ୍ବି ଥାଏ ଆମ ଗାଆଁକୁ
ଫେରୁଥିଲେ ଦୁହେଁ ଗୋଟେ ଛତା ଧରି
ଦେହସାଥେ ଯୋଡି ଦେହକୁ
ତମ ହାତ ଲେଖା ମୋ ପାଶେ ଡଏରୀ
ରଖିଛି ସାଇତି ରଖିବି
କାଲି କେହି ଯଦି ପଚାରେ ତମକୁ
ସବୁ କଥା ଖୋଲି କହିବି
ରାସ୍ତା ଆଡ କରି ଚାଲିଗଲ ତମେ
ଫେରିଲନି ଆଉ ଗାଆଁକୁ
କେମିତି ଆଜି ସେ ଅଭୂଲା ସମୟ
ଭୂଲିଯିବି କୁହ ତୁମକୁ
Loading comments…