ତୋର ମହୋଦଧି ବେଳାଭୂମି ପରେ
ଗଢ଼ି ଦେଲି ବାଲି ଘର
ଭାଙ୍ଗି ଦେବୁ ନାହିଁ ତୋ ଢେଉ ଆଘାତେ
ଏତିକି ଗୁହାରି ମୋର
କୁନି କୁନି ହାତେ ବାଲି ରେଣୁ ଧରି
ତୋଳିଛି ସ୍ବପ୍ନ ନଗର
ଭାଙ୍ଗି ଯାଏ ଯଦି ଜୁଆର ଢେଉରେ
ହୃଦ ମୋ ହୋଇବ ଚୂର
ମୋ ସାଙ୍ଗ ଘରକୁ ଯିବା ପାଇଁ ଗୋଟେ
ତିଆରିଛି ବାଲି ପଥ
ସେ ପଥରେ ନିତି ଯିବି ତା ପାଖକୁ
ସିଏତ ମୋର ସଙ୍ଗାତ
ମୋ କଥା ମାନିଲେ ତୋ କଥା ରଖିବି
ବେଳାଭୂମି ସଫା କରି
ଆବର୍ଜନା ଯଦି ପକାଏ କିଏ ସେ
ଗୁହାରୀ ବି ହାତ ଧରି
ତୋ ପରିବେଶକୁ ସୁନ୍ଦର ରଖିବି
କରୁଛି ଆଜି ମୁଁ ପଣ
ତୋ କୋଳରେ କେତେ ଜୀବଜନ୍ତୁ ଛନ୍ତି
ବଞ୍ଚାଇଛୁ ତାଙ୍କ ପ୍ରାଣ
Loading comments…