ଶିରାବଣ ମାସ ମେଘୁଆ ରାତି ୟେ
ଅବିରତ ଝର ଝର
ବରଷା ଝରଣ ଶୀତ ସମୀରଣ
ମନକୁ କରେ ଅସ୍ଥିର
ରିମି ଝିମି ମଧୁ ମହ୍ଲାର ଗୀତିକା
ମନରେ ଭରୁଛି ପ୍ରେମ ମାଦକତା
ହୃଦୟ ରେ ରଚେ ଚାରୁ ନେତ୍ର ଚିତ୍ର
କେଉଁ ସ୍ଵପ୍ନ ସୁନ୍ଦରୀର ।।
କାଦମ୍ବିନୀ କୋଳେ ସୌଦାମିନୀ ଖେଳେ
ସହସା ଆଲୋକ ରେଖା
ବାତାୟନ ଦେଇ ଝଲକ ଦିଶଇ
ହୃଦୟେ ରଚଇ ଶଂକା
ତାର ଘଡଘଡି ରଡି କୁହାଟ ରେ
ଉଛୁଳା ଉଚ୍ଚାଟ ସଂତପ୍ତ ଅଧୀରେ
ହଜାଇ ଦେଉଛି ଚେତା ଚଇତନ
ହୁଅଇ ଯେହ୍ନେ ଜଳକା।।
କଦମ୍ବ ବନରୁ ମଧୁ ସଉରଭ
କ୍ଷଣେ କ୍ଷଣେ ବିଚ୍ଛୁରିତ
ଅନୁଭବ କରେ ମହକ,ମୁର୍ଚ୍ଛନା
ମଉନାବତୀ ର ଗୀତ
କୁହୁକିନୀ ଏହି ମେଘୁଆ ଅନ୍ଧାରେ
ଶେଫାଳୀ ସେଜରେ ତା ମାୟା ବିସ୍ତାରେ
ମାୟା ଜାଲେ ବନ୍ଧା ମନ୍ମଥ ବାଣରେ
ଅକୁହା ବେଦନା କ୍ଷତ ।।
ଅନୁଭବି ସିନା ଅନୁଭବି ପାରେ
ବରଷା ରାତିର ଚିତ୍ର
ଏକା ପରବାସେ ନିର୍ଜନ କୁଟୀରେ
ଆଖିକୁ ନଆସେ ନିଦ
ତୁହାକୁ ତୁହା ୟେ ଲଗାଣ ବରଷା
କହୁଛି ଅକୁହା ପ୍ରଣୟର ଭାଷା
ଭରି ଘନରସ ଉଛୁଳାଇ ଦିଏ
ସଂବୀତ ହୃଦୟ ହ୍ରଦ ।।
Comments
Loading comments…