କୁଆଁରୀର ମନ ଯେମିତି ଅନେକ ସ୍ୱପ୍ନ ସଜାଇ ଥାଏ, ତା ସ୍ୱପ୍ନର ରାଜକୁମାର ପାଖରେ ମନଟାକୁ ଉଜାଡି ଦେବାକୁ, ମେଘରାଣୀ ତାର କଳାବାଦଲର ଓଢଣୀ ଟାଣି ପ୍ରତୀକ୍ଷା ରତ, ସେଇ ଶୀତଳ ପରଶକୁ, ତା ସ୍ୱପ୍ନର ସାଇତି ରଖିଥିବା ବିନ୍ଦୁ ବିନ୍ଦୁ ପାଣି କୁ ଥରେ ଉଜାଡି ଦେବାକୁ। ନବବଧୂର ଛାଡି ଦୁକୁ ଦୁକୁ କଲାପରି, ବିଜୁଳିର ଚମକରେ ମେଘରାଣୀର ଛାଡିରେ କମ୍ପାନ ଆସିଛି। ତା ଓଢଣୀ କୁ ସତେ କିଏ ଖୋଲି ଦେବକି? ସେ ବର୍ଷା ପାଣିରେ ଚାତକର ଶୋଷ ମେଣ୍ଟିବ, ନବବଧୂ ତାର ନୂଆ ସଂସାର ଗଢିବା ପରି, ମେଘରାଣୀ ତାର ସେ ବର୍ଷା ପାଣିରେ କେତେ ନୂଆ ଆଶାର ସଂଚାର କରିବ। ପ୍ରଥମ ବର୍ଷାର ପରଶ ପାଇକି ଧରିତ୍ରୀ ରାଣୀ ତାର ଶୋଷ ମେଣ୍ଟାଇବାକୁ ଯାଇ ଭୁରୁ ଶବ୍ଦ କରୁଛି, ଗାଆଁ ପଡିଆରେ ସେଇ ନାଲି ଟୁକୁ ଟୁକୁ ସାଧବ ବୋହୂ ବୁଲୁଛନ୍ତି ସତେ ଅବା ଧରିତ୍ରୀ ରାଣୀ ସେମାନଙ୍କୁ ତା କୋଳରେ ଖେଳାଉଛି। ନବବଧୂର ସାଜ ସଜ୍ଜା ପରି, ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗାୟିତ ହୋଇ ପ୍ରତୀକ୍ଷା ରତ ସେ ମେଘରାଣୀର ଓଢଣୀ କୁ ଇନ୍ଦ୍ରଦେବ ଖୋଲି ଦିଅନ୍ତେ, ମଧୁଝରା ହସ ପରି ମେଘରାଣୀ ବର୍ଷା ରୂପକ ପାଣି ବରଷୁ ଅଛି। ଏଇ କଳ୍ପନା ରେ ଆଧାରିତ କବିତା ବର୍ଷା। ଭାସ୍କର ଚନ୍ଦ୍ର ଖଣ୍ଡା।
Comments
Loading comments…