ସବୁଜ ସ୍ୱପ୍ନର ସାଥୀ
ତୁମକୁ ମୁଁ ପାଇଛି ବାଟରେ .....
ସାକ୍ଷୀ ତ ସାତ ଘେରା ଅଗ୍ନି ନୁହେଁ
ସାକ୍ଷୀ ତ ଚଲା ବାଟର ଦୁବ ଘାସ।
ଟାଙ୍ଗରା ଭୂଇଁର ଗୋଡ଼ି ପଥର ମାନେ
ଚେତାଇ ଦେଇ ଥିଲେ ବାଟ ଅବାଟର
ନିଛକ ସତ୍ୟର କାହାଣୀ!
ଅନୁଭବର ଝରକା ଡେଇଁ
ଆଜି ବୁଝି ପାରିଛି
ଦୋଛକି ଆସିଲେ ଜୀବନ
ମୋଡ଼ ବଦଳାଏ
ଚଲା ବାଟର ଛାୟା ମଳିନ ପଡେ
ଶୀଥିଳ ଅନୁଭବ କରେ
ଏକାକୀ ଜୀବନରେ କିଏ
କିଛି ସମୟ ସାଥୀ ହୋଇ
ମନ ଭିତରେ ଏକ ଛବି ଆଙ୍କି ଦେଇ ଯାଏ
ସେହି ଅଡ଼ୁଆ ସୂତାରୁ ବାହାରିବା
ଏତେ ସହଜ ନୁହେଁ ।
ପୁଣି ଥରେ ସେ ବାଟ ଆସିବ
କିନ୍ତୁ ସେ ସାଥୀ କ'ଣ ସେ ବାଟରେ
ଭେଟ ହେବ ।
ସ୍ମରଣରେ ଆସି କି ଅନୁରାଗ
ଭରି ଦେବ ?
ଚଲା ବାଟର ମିତ
ସ୍ୱପ୍ନ ସଦୃଶ
ଆଶା କୁହୁଡିରେ ପହଁରିବା ପରି ।
କଥା ହେବା ଆଗରୁ
ସରି ଯାଏ ଭାବନା ।
ପଥ ଦର୍ପଣ ଉପରେ
ସୂର୍ଯ୍ୟ ରଶ୍ମିର ଲୋହିତ ଚମକ ଦିଏ
ବାଟ ତ ପଡ଼ି ଥାଏ
ଦୀର୍ଘତା ମାପିବା ପାଇଁ
ବାଟୋଇ ନଥାନ୍ତି ........
Comments
Loading comments…