120Log inSign up
by Bauribandhu Lenkaସ୍ୱାଗତ ମୌସୁମୀ
Details

ତୁମ ପଦ ନୂପୁର ନିକ୍ୱଣ

ଶୁଭିଲାଣି ରୁଣୁ ଝୁଣୁ ସୁରେ

ତନୁ ମନ ପୁଲକିତ ହୁଏ

ମନ୍ଦ ମନ୍ଦ ଶୀତଳ ସମୀରେ॥

ଘନ କୃଷ୍ଣ ମେଘମାଳା ବକ୍ଷେ

ଚପଳାର ସ୍ଵର୍ଣ୍ଣାଭ ଚମକ

ଟିପି ଟିପି ବର୍ଷା ବିନ୍ଦୁ ସ୍ପର୍ଶେ

ଭିଜା ମାଟି ଖେଳାଏ ମହକ॥

ତୁମ ଆଗମନୀ ବାର୍ତ୍ତା ଗୁଞ୍ଜେ

ମେଘର ସେ ଗୁରୁ ଗରଜନେ

ଆନନ୍ଦିତ ପୁର ପଲ୍ଲୀବାସୀ

ନାଚେ ଶିଖି ମେଘ ଦରଶନେ ॥

ତୃଷାତୁର ଚାତକ ଚାତକୀ

ଗାଇଲେଣି ତୃପ୍ତିର ସଂଗୀତ

ଗର୍ଭାଧାନ ସୁଖ କାଳ ଜାଣି

ବଳାହକ ଗଣେ ଉଲ୍ଲସିତ ॥

ଜାଇ ଯୂଇ କଦମ୍ବ କେତକୀ

ହେନା ମଲ୍ଲୀ ମାଳତୀ ଟଗର

ସଜେଇବେ ପ୍ରକୃତି ରାଣୀକୁ

ନାନା ରଙ୍ଗେ କେଡେ ମନୋହର॥

ଶୁଷ୍କ ନଦୀ ଗ୍ରାମ୍ୟ ପୁଷ୍କରିଣୀ

ବର୍ଷା ଜଳେ ଉଠିବ ଉଛୁଳି

ରୁକ୍ଷ ବୃକ୍ଷ ଶ୍ରୀହୀନ ବନାନୀ

ଅଙ୍ଗେ ଦେବେ ସବୁଜିମା ବୋଳି ॥

କ୍ଷେତେ କ୍ଷେତେ ବୀଜ ଅଙ୍କୁରଣ

ହେବ ତୁମ ପହିଲି ପରଶେ

ମେଘମାଳା ସଙ୍ଗେ ଆସ ତୁମେ

ବର୍ଷିଯାଅ ମୋ ଭାରତ ବର୍ଷେ ॥

Loading comments…