ସ୍ମୃତି ଏମିତି ଫୁଲ ଆକାଶ ସେପଟେ
ଗାଁ ସହର ଆରପଟେ ଫୁଟେ
ସ୍ମୃତି ଏମିତି ମଲାଜହ୍ନ ଜହ୍ନିଫୁଲ
ସମୁଦ୍ର ସେପାରି ଦିଗବଳୟ ଗୋଟେ
ସ୍ମୃତି ଏମିତି ଶାମୁକା ତା ଭିତରେ ମୋତିଟେ
ସେ ମୋତିର ରଙ୍ଗ ଜୀବନେ ଫାଳେ କି ଚଉଠେ
ସ୍ମୃତି ପୁଣି ମନ ବିବେକ ନଈ ତୁଠେ
ଅଚିହ୍ନା ପଣତ ଭିତରେ ମାର ମମତା ଛୁଟେ
ସ୍ମୃତି ବୋଧେ ଶିଳାଲିପି ଭରା ଦଦରା କାନ୍ଥଟେ
କାହା ମୁଁହ ଫଗୁଣ ତ କାହା ମୁଁହ ଆଇନା ପ୍ରତିଛବିଟେ
ସ୍ମୃତି ପୁଣି କାରୁକାର୍ଯ୍ୟ ପୂର୍ଣ୍ଣ ମଉଳା ଫୁଲ ଡ଼େମ୍ଫଟେ
ଅତର୍କିତ ମୁହୂର୍ତ୍ତର ସାୟାର୍ହ୍ନ ବେଳାଟେ
ସ୍ମୃତି କେବେ ପେଜୁଆ ଆଖିତଳ ଅବୟବ ଗୋଟେ
ସଂଖ୍ୟାର ଗୁଣନ ହରଣ ଭିତରୁ ବୋଧେ ପଟେ
ସ୍ମୃତି ନିଶ୍ଚୟ ଗନ୍ତାଘର ତୋଳେ କବାଟଟେ
ଡେଇଁ ସାତ ସମୁଦ୍ର ନଈ ଦେଖେ ଫାଙ୍କ ବାଟେ
ସ୍ମୃତିର ନାରଙ୍ଗୀ ରଙ୍ଗ ମାଖି ସ୍ମୃତି ନିଜେ ଛଟପଟେ
ଇନ୍ଦ୍ରଧନୁ ଦେଖିବାକୁ ମନ ବି ଆକଟେ
ସ୍ମୃତି ଗୋଟେ ଖିଏ ସୂତା ବନ୍ଧନ ଅତୁଟେ
ସ୍ମୃତି ବି ଆଗ୍ନେୟଶୀଳା ଜୀବନର ଗୋଟେ ପଟେ ।
Loading comments…