ପିଲାଟିର ମାଆ ଶିକ୍ଷକତା କରୁଥିଲେ ମଧ୍ୟ କେହି କେବେ ପଚାରୁନଥିଲେ ମାଆ କଣ କରନ୍ତି ବୋଲି, ବାପା ଚାଷୀ ବୋଲି ଶୁଣିସାରିବା ପରେ। ଏପରିକି ରଚନାରେ ମଧ୍ୟ "ତୁମ ବାପା" ଛଡ଼ା ଅନ୍ୟ ସବୁ ରଚନା ସେ ଲେଖୁଥିଲା, କାହିଁକି କେଜାଣି ଏ ଚାଷୀପୁଅ ହେବାର ସହରିଆ ଥଟ୍ଟା ସେ କେବେ ସହିପାରୁନଥିଲା। ସ୍କୁଲ ଟପି ସେ ଡିପ୍ଲୋମା କଲା, କିଛି ଗାଁରୁ ଆସିଥିବା ଚାଷୀ ପୁଅଙ୍କ ସହ ମିଶିଲା, ଟିକେ ଉଶାସ ଲାଗିଲା ତାକୁ। ଡିପ୍ଲୋମା ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ବି କଲା। ଖୁବ କଷ୍ଟରେ ଭୁବନେଶ୍ବରରେ ଚଳୁଥିବା ପିଲାଟି ଯେତେବେଳେ ଘରେ ଆସି ପାଦ କଚାଡି କହେ ମୁଁ ଷ୍ଟଡ଼ି ଲୋନ କରିବି, ତା ବାପା ହାତରେ ଅଧିକା ପଚାଶ ଶହେ ଦେଇ ବୁଝେଇ କହନ୍ତି ଆଗଥରକୁ ଆଉ ଶହେ ଅଧିକା ଦେବି, କିନ୍ତୁ ଲୋନ କରିବା କଥା କହନା, ଆମର ଯେତିକି ଅଛି ସେତିକିରେ ଚଳିବାକୁ ଚେଷ୍ଟା କର। ବୋଧେ ବାପାର ଅସହାୟତା ଓ ଆତ୍ମବିଶ୍ଵାସ ଉଭୟ କିଛି କିଛି ବୁଝୁଥିଲା ପିଲାଟି। ବୋଧେ ବାପାର ପେଟକାଟି ଚଳିବା କଳାଟି ପିଲାଟି ଶିଖିଯାଇଥିଲା, ବୋଧେ ବାପକୁ କଞ୍ଜୁସ୍ କହୁଥିବା ପିଲାଟି ନିଜେ ଗୋଟେ ଅସମ୍ଭବ ହିସାବୀ ପାଲଟି ସାରିଥିଲା। ଇଞ୍ଜିନିୟରିଂ ସରିବା ବେଳକୁ ପ୍ରାୟତଃ ସମସ୍ତଙ୍କ ମୁଣ୍ଡରେ ଆପାତତଃ ଛଅ/ସାତ ଲକ୍ଷ ଟଙ୍କାର ଋଣବୋଝ ଥିଲାବେଳେ ପିଲାଟି କିନ୍ତୁ ଋଣମୁକ୍ତ ଥିଲା। ସେତେବେଳେ ବିଦାୟ ସମ୍ବର୍ଦ୍ଧନା ସମୟରେ କେଉଁ ଏକ କଥାରେ ଏମିତି ଏକ ଉଦାହରଣ ସ୍ୱରୂପ ଅଧ୍ଯକ୍ଷ ମହୋଦୟ ଯେତେବେଳେ ପଚାରନ୍ତି କେତେ ଟଙ୍କାର ଋଣ ଅଛି ବୋଲି, ପିଲାଟି କହେ, ନାଇଁ ସାର ! ମୁଁ ସମ୍ପୂର୍ଣ୍ଣ ଋଣମୁକ୍ତ। କୌତୁହଳୀ ଅଧ୍ଯକ୍ଷ ପଚାରି ବସନ୍ତି ବାପା କଣ କରନ୍ତିକି ? ସେଦିନ କେମିତି ପିଲାଟି ପାଟିରୁ ବାହାରିଯାଏ ମୋ ବାପା ଚାଷ କରନ୍ତି। ତାକୁ ଯେତିକି ଆଶ୍ଚର୍ଯ୍ୟ ଲାଗେନି ନିଜ ଉତ୍ତର, ବେଶି ଚକିତ କରେ ଅନ୍ୟମାନଙ୍କ ନୀରବତା। ହୁଏତ ସେଇଦିନ ସେ ବୁଝିଥିଲା ତାକୁ ସ୍କୁଲରେ ଲାଜ ଲାଗୁଥିବା କାରଣଟି ଆଜି ପୂର୍ଣ୍ଣ ସଭାରେ ଅଳ୍ପ କେତେ ସେକେଣ୍ଡର ନୀରବତାର ଏକ ପର୍ଯ୍ୟାପ୍ତ କାରଣ ଥିଲା। ବୋଧହୁଏ ସେଇଦିନ ସେ ବୁଝିପାରିଥିଲା ତା ବାପାଙ୍କ କଥା କେଇପଦ "ଗରିବ ହେବା ପାପ ନୁହେଁ କିନ୍ତୁ ହାତ ପାତିବା ପାପ, ଅର୍ଜିତ ଧନରେ ବଞ୍ଚିବା ଭୁଲ ନୁହେଁ କିନ୍ତୁ ଋଣଗ୍ରସ୍ତ ହେଇ ବଞ୍ଚିବା ପାପ"। ଭୋ ଭୋ ହେଇ କାନ୍ଦି ପକେଇଥିଲା ପିଲାଟି ବାଥରୁମ ଭିତରକୁ ଦୌଡିଯାଇ।
Loading comments…