ନିଜ ପସନ୍ଦ ମୁତାବକ ଚିତ୍ରଟିଏ ନ ପାଇ ରାଜା ଭୀଷଣ ଭାବରେ ରାଗିଯାଇ ସୂର୍ଯୋଦୟ ହେଲେ ସବୁ ବନ୍ଦୀମାନଙ୍କ ମୁଣ୍ଡକାଟ କରିବାର ଘୋଷଣା କଲେ। ଏ ଘୋଷଣା ଶୁଣି ଚିତ୍ରକାର ମଧ୍ୟରେ ଭାଳେଣି ପଡ଼ିଗଲା। ସେମାନଙ୍କ ମଧ୍ୟରେ ଥିବା ଜଣେ ଯୁବ ଚିତ୍ରକରର ନିଜ ସ୍ତ୍ରୀ ଓ ପରିବାର କଥା ଖୁବ ମନେ ପଡ଼ିଲା। ସେ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇ ନିଜ ସ୍ତ୍ରୀର ଚିତ୍ର ଆଙ୍କି ଶୋଇଗଲା। ରାଜା ଶେଷଥର ପାଇଁ ସବୁ ଚିତ୍ରକର ମାନଙ୍କୁ ଭେଟିବାକୁ ଆସିଲେ। ସମସ୍ତଙ୍କୁ ଆସନ୍ନ ମୃତ୍ୟୁର ଡର ଜଡେଇ ଧରିଥିଲା। ଭୟାତ୍ତୁର ଆଖିରେ ରାଜାଙ୍କୁ ଚାହିଁ ରହିଥିଲା ସଭିଙ୍କ ଆଖି ଗୁଡିକ। ରାଜା ଢପଢପ କରି ଅତ୍ୟନ୍ତ ହିଂସ୍ର ଭାବରେ ଆଗକୁ ବଢୁଥାନ୍ତି ଓ ଚିତ୍ରକର ମାନେ କାକୁସ୍ଥ ଭାବରେ ହାତ ଯୋଡ଼ି ତାଙ୍କୁ ଅନୁଧାବନ କରୁଥାନ୍ତି। ହଠାତ ରାଜା ଅଟକି ଗଲେ। ହା ହା କରି ଖୁବ ଯୋରରେ ଅଟ୍ଟହାସ୍ୟ କରିବାକୁ ଲାଗିଲେ। ଚିତ୍ରକର ମାନଙ୍କ ଅବସ୍ଥା ପୁରାପୁରି ସାଙ୍ଘାତିକ। ବୋଧହୁଏ ରାଜା ନିଜ ହସ୍ତରେ ହିଁ ସେମାନଙ୍କ ଶିର ଛେଦନ କରିବେ। ନଚେତ ଏପରି ପାଗଳମାନଙ୍କ ପରି ପ୍ରଳାପ କରନ୍ତେ କାହିଁକି? ସମସ୍ତେ ପ୍ରମାଦ ଗଣିବାକୁ ଲାଗିଲେ। ନିଜ ଇଷ୍ଟଦେବୀଙ୍କୁ ମନେ ମନେ ସୁମରିଲେ। ରାଜା ତଳେ ପଡିଥିବା ଚିତ୍ରଟିକୁ ଉଠେଇ ଆଣି ନିଜ ଛାତିରେ ଚାପି ଧରିଲେ, ଏବଂ ଅତ୍ୟନ୍ତ ଆନନ୍ଦରେ ଏହି ଚିତ୍ରଟି ଦୁନିଆର ସବୁଠାରୁ ସୁନ୍ଦରୀ ସ୍ତ୍ରୀର ଚିତ୍ର ବୋଲି ଘୋଷଣା କଲେ। ସଭିଙ୍କ ଆଖି ଆପଣାଛାଏଁ ଚିତ୍ର ଉପରକୁ ଗଲା।ଚିତ୍ରଟି ଥିଲା ଗତ ରାତିରେ ଯୁବ ଚିତ୍ରକର ଜଣକ ଅତି ନିରାଶାରେ ନିଜ ପରିବାରକୁ ମନେ ପକେଇ ନିଜ ସ୍ତ୍ରୀ ତାଙ୍କ ଏକୋଇଶ ଦିନର ପୁଅକୁ ସ୍ତନ୍ୟପାନ କରୁଥିବାର ଚିତ୍ର। ରାଜା କହିଲେ ଯେ କୌଣସି ନାରୀ ଯେତେବେଳେ ନିଜର ଛୁଆକୁ ଦୁଗ୍ଧପାନ କରାଏ ନାରୀଟିର ମୁହଁରେ ଏକ ଅପୂର୍ବ ଖୁସି ଉଦ୍ଭାଷିତ ହୁଏ। ତାର ସୌନ୍ଦର୍ଯ୍ୟ ଆଗରେ ଆଉ ସବୁ ଫିକା ପଡ଼ିଯାଏ। ହେଲେ ତା କ୍ଷେତ୍ରରେ ସବୁ ଓଲଟା। ରାଜେଶର ଏବେବି ମନେଅଛି ତାଙ୍କ ଘରେ ବାସନ ମାଜୁଥିବା ଗୁରେଇ ଯେତେବେଳେ ମଲା ଛୁଆଟିଏ ଜନ୍ମ କରିଥିଲା ଏତେ ଭାଙ୍ଗି ପଡିଥିଲା ଯେ ଯାହାର ବି ଛୁଆକୁ ଦେଖିଲେ କ୍ଷୀର ପିଆଇବା ପାଇଁ ଦୌଡ଼ି ଯାଏ। ତାକୁ ବେଳେବେଳେ ହୃଦବୋଧ ହୁଏ ଏତେ ପାଠ ପଢି ବଡ଼ ଭୁଲ କରିଦେଇଛି। ସେ ହଳିଆଟେ ହେଇ ଜମିରେ ମୂଲ ଲାଗିଥାନ୍ତା ଯଦି ଭଲ ହେଇଥାନ୍ତା। ସକାଳେ ତା ଘରଣୀ ପଖାଳ କଂସା ବଢ଼େଇ ଦିଅନ୍ତା ଆଉ ସେ ପରମ ତୃପ୍ତିରେ ତାକୁ ଖାଇ ମାଟି ସାଙ୍ଗରେ ମିଶି ମାଟି ହେଇଯାଅନ୍ତା। ଦ୍ବିପହର ବେଳକୁ ତା ସ୍ତ୍ରୀ ଅଣ୍ଟା ହଲେଇ ହଲେଇ ମୁଣ୍ଡରେ ପଖାଳ କଂସା ଧରି ତା ପାଖରେ ପହଞ୍ଚନ୍ତା। ଆମ୍ବଗଛ ମୂଳେ ଦୁହେଁ ବସନ୍ତେ। ତା ସ୍ତ୍ରୀ ପଣତ କାନିରେ ପୋଛି ଦିଅନ୍ତା ତା ଝାଳକୁ। ଦୁହେଁ ଦୁହିଁଙ୍କ ପ୍ରେମ ଭରା ଚାହାଣୀରେ ଭୁଲି ଯାଆନ୍ତେ ଦୁନିଆକୁ।ସାରା ଦୁନିଆର ଭଲ ପାଇବା ସେ ତା ସ୍ତ୍ରୀର ପାଦ ତଳେ ଅଜାଡ଼ି ଦିଅନ୍ତା। ହେଲେ ସେସବୁ ତା ପାଇଁ ସାତ ସ୍ବପ୍ନ।
Comments
Loading comments…