ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ ।
Loading comments…