ଗୋବିନ୍ଦ ଗାଁ ମୁଣ୍ଡରୁ ଶୁଣିଲା ଝଡ଼ ତୋଫାନ ମାଡ଼ିଆସୁଛି । ଘଣ୍ଟାକୁ ୨୬୦କିମି ବେଗରେ ପବନ ବହିବ,୪୮ଘଣ୍ଟା ପ୍ରବଳ ବର୍ଷା ହେବ । ବିଚଳିତ ପ୍ରାୟ ଗୋବିନ୍ଦ କହୁଥାଏ ସମସ୍ତଙ୍କୁ ସତର୍କ କରାଯାଇଛି ଘରଛାଡି ଯିବାପାଇଁ । ଗୋବିନ୍ଦ ଦୁଲାରୀ ଓ ମୋତିକୁ କହୁଥାଏ ତୁମେ ଦୁହେଁ ଅନ୍ୟତ୍ର ଚାଲିଯାଅ । ମୁଁ ଏ ଘରେ ରହୁଛି । ଦୁଲାରୀ କହୁଥାଏ ନାଁ ନାଁ ତୁମେ ବାପ ଝିଅ ଚାଲିଯାଅ ମୁଁ ଅଛି । ଶେଷରେ ଗୋବିନ୍ଦ ଓ ଦୁଲାରୀଙ୍କ ନିଷ୍ପତ୍ତି ଯେ ତାଙ୍କର ଭବିଷ୍ୟତ ମୋତିକୁ ସେ ସୁରକ୍ଷିତ ଜାଗାକୁ ପଠାଇଦେବେ । ମାତ୍ର ମୋତିର ଉତ୍ତର ବାପା ମା ମୋତେ ଜୀଵଦାନ ଦେଇଛନ୍ତି,ତାଙ୍କ ଜୀବନ ବିନିମୟରେ ମୁଁ ବଞ୍ଚିବି,ଏଭଳି ସ୍ୱାର୍ଥପର ଜୀଇଁବା ଅପେକ୍ଷା ମୃତ୍ୟୁ ବରଂ କରିବା ଖୁବ୍ ଭଲ । ସେ ବାପା ମାଆଙ୍କ ପାଖରେ ରହିବ । ନିଜ ହାତ ତିଆରି ଘର ଓ ଜିନିଷ ମୋହରେ ଗଲେ ନାହିଁ ଗୋବିନ୍ଦ,ଦୁଲାରୀ ଓ ମୋତି । ମାଡି ଆସିଲା ତୋଫାନ,ସମୁଦ୍ରର ଲହରୀ । ମହାବାତ୍ୟାର ଦ୍ରୁତ ବେଗରେ ଭାଙ୍ଗିଯାଉଥାଏ ଗୋବିନ୍ଦର ଆଶା ଭରସାର କୁଡ଼ିଆ । ଗୋବିନ୍ଦ ଦୁଲାରୀଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଲା ପରି ଲାଗୁଥାଏ । ଜୀବନ ବଞ୍ଚାଇବାକୁ ତିନୋଟି ଜୀବ ହେଉଥାନ୍ତି ଡହଳ ବିକଳ । ନାଁ ଘରେ ନିରାପଦ ନାଁ ବାହାରେ । ମାଡ଼ିଆସିଲା ଉତ୍ତାଳ ତରଙ୍ଗ । ସ୍ରୋତର ପ୍ରଖର ସୁଅ ବାରମ୍ବାର ଉପହାସ କରୁଥିଲା ତିନି ଜୀବନର ଶକ୍ତ ସମ୍ପର୍କକୁ । ସତେ ଯେମିତି ଛିନ୍ନ କରିବାକୁ ସେ ପ୍ରତିଜ୍ଞାବଦ୍ଧ । ତିନି ଜଣ ହାତ ଧରାଧରି ହୋଇ ଥାଆନ୍ତି । ସଙ୍ଗେ ସଙ୍ଗେ ଜଳର ଉଚ୍ଚତା ବଢି ମୋତିକୁ ନେବାପାଇଁ ଉଦ୍ୟତ । କେତେ ସଂଘର୍ଷ କରି ନାହାନ୍ତି ବାପା ମାଆ ଦୁହେଁ । ହେଲେ ନିଷ୍ଠୁର ସ୍ରୋତଟା ତା ନିୟମ ମାନି ଟାଣି ନେଇଗଲା ଭିତରକୁ । ବାପା ବୁଡିଗଲି... ମା ଭାସିଗଲି...କରୁଣ କ୍ରନ୍ଦନଟା ଅସହାୟ ଦୁହିଁଙ୍କୁ ଅଟ୍ଟହାସ୍ୟ କରି କହୁଛି, ମୋତେ ହେୟଜ୍ଞାନ ?ମୋତି..ମୋତି..କହି ବିକଟାଳ ଚିତ୍କାର ହୋଇ ଯାଇଥିଲା ନିଷ୍ଫଳ । ଧୀରେ ଧୀରେ ଜଳସ୍ରୋତ ବଢ଼ିବାରେ ଲାଗିଲା । ଦୁଲାରୀ ଗୋବିନ୍ଦକୁ କହୁଥାଏ,ତୁମେ ପହଁରି ଚାଲିଯାଅ,ନିଜ ଜୀବନ ହେଲେ ବଞ୍ଚାଅ । କାନ୍ଦି କାନ୍ଦି ହାତକୁ ଧରି ଗୋବିନ୍ଦ କହିଲା, ମୁଁ ପରା ସାତ ଜନ୍ମ ପାଇଁ ହାତ ଧରିଥିଲି ଛାଡ଼ିବି ବା କେମିତି?ସାଥି ହୋଇ ବଞ୍ଚିବା ନଚେତ ସାଥି ହୋଇ ମରିବା ପରା ଥିଲା ଆମ ଦାମ୍ପତ୍ୟ ଜୀବନର ଆହ୍ୱାନ ।
Loading comments…