ତୁମ ଆଖି ପତା ଯେବେ ନଇଁ ଯାଏ
କହି ଯାଏ କେତେ କଥା,
ବହି ଯାଏ ହୃଦୁ ଆବେଗ ଅନେକ
ଧୋଇ ଯାଏ ବ୍ୟାକୁଳତା
ନୀରବତାକୁହେ କଥା
ତୁମ ଆଖି ପତା ଯେବେ ନଇଁ ଯାଏ ॥
ଉକୁଟି ଆସିଲେ ବକଟେ ଖୁସିକୁ
ଅଟକେଇ ରଖ କିଆଁ?
ଛିଟିକେଇ ଦେଇ ପ୍ରକଟ ଲାଳସା
ଆକଟ ଉତ୍କଟ ଛୁଆଁ ।
ଚହଟ ଚିକ୍କଣ କାଠ ଚମ୍ପା ଗନ୍ଧ
ପବନ ପେଡ଼ି ସାଇତା ।
ଦର ଖୋଲାଗୋପନତା
ତୁମ ଆଖି ପତା ଯେବେ ନଇଁ ଯାଏ ॥
ସଅଳ ସଅଳ କଅଁଳ ଓଠକୁ
ସାଉଁଳେଇ ଦେଲେ ହସ,
ଖୋଲିବ କି ଅବା, ନ ଖୋଲିବା ଭାବ
ଅଳସେ କରି ପ୍ରକାଶ ।
ଅମାନିଆଁ ଓଠ ,ଅଧିର ଅଧରେ
କହେ ଗୋପନ ବାରତା ।
ସ୍ୱଳ୍ପ ସ୍ମିତହାସ୍ୟ ରେଖା
ତୁମ ଆଖି ପତା ଯେବେ ନାଇଁଯାଏ ॥
ଚଂଚଳା ଚପଳା ଚମକେ ଯମକେ
ଚହଲେଇ ଯାଏ ହିଆ,
କପୁର ଫରୁଆ ଭିତର ସାଇତା
କାମ କାମନା କିମିଆଁ ।
ତୁମ ଅବନତ ମୁଖ, ନତ ପଲକ କି
କହେ ଛାତି ତଳ କଥା!
ନିର୍ଜରିଣୀ ଅନ୍ତ ସ୍ରୋତା
ତୁମ ଆଖି ପତା ଯେବେ ନଇଁ ଯାଏ ॥
ଓଢଣା ଉହାଡ଼େ ସୌନ୍ଦର୍ଯ୍ୟର ଶିରୀ
ଜଳଦ ଉହାଡ଼େ ଜହ୍ନ,
ଲାଜ ସାଜ ତଳେ ସ୍ୱୀକାର ସଜ୍ଜିତ
ପ୍ରାପ୍ତ ପ୍ରୀତି ନିବେଦନ।
ମଧ୍ୟମ ପ୍ରକାଶେ ଉଛଳ ଉତ୍କଣ୍ଠା
ନହୁଲୀ ମହୁଲୀ ନିଶା ।
ଶବ୍ଦ ସ୍ନାତା ନିଃଶବ୍ଦତା
ତୁମ ଆଖି ପତା ଯେବେ ନଇଁ ଯାଏ ॥
Comments
Loading comments…