ମୁଁ ସେଠାରେ ପହଞ୍ଚିବା ଦେଖି କିଛି ଛାତ୍ର ମୋ ନିକଟକୁ ଆସି ଚୁପ୍ ଚୁପ୍ କରି ଇଶାରାରେ ସେଇ ୮ ଜଣ ରୋଷେଇ କରୁଥିବା ଦିଗକୁ ମୋ ଦୃଷ୍ଟି ଆକର୍ଷଣ କଲେ l ସେତେବେଳେ ସେମାନେ ସେଠି ବସି ଖୋଲାଖୋଲି ମଦ୍ୟପାନ କରୁଥାନ୍ତି l ସେମାନେ ସମସ୍ତେ ପ୍ରାୟ ଅର୍ଦ୍ଧଉଲଗ୍ନ ହୋଇଥିବା ସ୍ଥଳେ ଜଣେ କେବଳ ହାଫ୍ ଚଡିଖଣ୍ତେ ପିନ୍ଧିଥାଏ l ମୋତେ ଘେରି ଠିଆ ହୋଇଥିବା ଛାତ୍ରମାନେ ପୂର୍ବରୁ ସେଇ ମଦୁଆ ମାନେ ଘଟାଇଥିବା ଘଟଣା ସବୁକୁ ଗୋଟି ଗୋଟି କରି ବର୍ଣ୍ଣନା କରି କହିଲେ l ସେ ମଦ୍ୟପମାନେ କିପରି ଖଣ୍ତା ଦେଖାଇ ସେମାନଙ୍କୁ ଭୟଭିତ କରି ସାଉଣ୍ତ ସିଷ୍ଟମରେ ଅମକ ହିନ୍ଦି ଗୀତ ଲଗାଅ , ଅମକ ଓଡିଆ ଗୀତ ଲଗାଅ , ତେଲୁଗୁ ଗୀତ ଲଗାଅ ଆଦି କହି ଶେଷକୁ ଅତି ଅସଭ୍ୟ ଭାଷାରେ ଗାଳି ଦେଇ ଆଦୌ ଗୀତ ନ ଲଗାଇବା ସହିତ କୌଣସି ପିଲା ଯେପରି ପୋଲ ଉପରକୁ ନଉଠନ୍ତି ସେଥିପାଇଁ ଧମକ୍ ଚମକ୍ ଦେଇଥାନ୍ତି l ଯେଉଁ ୪ଟି ପରିବାର ସେଠାରେ ରୋଷାଇ କରୁଥାନ୍ତି ତାଙ୍କ ଚାରିପଟେ ସେ ଚଡିପିନ୍ଧା ଯୁବକ ବୁଲି ବୁଲି ପରିସ୍ରା କରିବା ସହିତ ଖୁବ୍ ଅଭଦ୍ର ଭାଷାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଳିଗୁଲଜ କରିସାରିଥାଏ l ଟିକେ ଚିନ୍ତା କରନ୍ତୁ l ମୋ ସହିତ କେବଳ ପୁଅ ମାନେ ଥାଆନ୍ତି l କିନ୍ତୁ ସେଇ ୪ଟି ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ମାନଙ୍କ ସାମ୍ନାରେ ଏ ମଦୁଆ ଅସଭ୍ଯ ଗୁଡାକ ଯେଭଳି ଆଚରଣ କରିଛନ୍ତି ତାଙ୍କ ମାନସିକ ଅବସ୍ଥା କଣ ହୋଇଥିବ ? ପିଲାମାନଙ୍କ ଠାରୁ ଏସବୁ ଶୁଣି ରାଗରେ ମୋ ମୁଣ୍ତ କାମ କରୁନଥାଏ l ମୁଁ ଜାଣିଥାଏ ମୋ ପିଲାମାନଙ୍କ ଭିତରେ କିଛି ଖୁବ୍ ଦୁଷ୍ଟାମି କରିବା ପିଲା ବି ମହଜୁଦ୍ ଅଛନ୍ତି l ସେମାନେ ଏଇ ୮ ଜଣ ମଦୁଆଙ୍କ ଆତଙ୍କରାଜକୁ ଏମିତି ନିରବରେ ସହିବା କଥା ଆଦୌ ନୁହେଁ l ପାରଦୀପର କିଛି କମର୍ସ ପିଲା ମାଡ ମାରିବାରେ ଖୁବ୍ ପାରଙ୍ଗମ l ଯଦି ହଷ୍ଟେଲ ଓ ବାହାର ପିଲାଙ୍କ ଭିତରେ କିଛି ଗଣ୍ତଗୋଳ ହେଲା ଏମାନେ ଆଗ ମାଡ ବସାଇଦିଅନ୍ତି l ବୋଧହୁଏ ଗତକାଲି ସଂଧାରେ ସେଇ ଫକିରପଡା ଘଟଣାରେ ଡରିଯାଇ ଚୁପ୍ ହୋଇ ରହି ଏଇ ମଦୁଆଙ୍କ ପାଦୁର୍ଭାବ ଏଯାଏ ସହି ସମ୍ଭାଳି ରହିଛନ୍ତି l
Comments
Loading comments…