ଜମିକୁ ଯିବା ବାଟରେ ବାବୁକୁ ଦେଖି ଜଣେ ଦୁଇ ଜଣ ଗାଁ ଲୋକ ବି ହସୁଥିଲେ। ସହରୀ ପିଲାଟା ଭକୁଆ ହେବାକୁ ବାହାରିଚି ବୋଲି ଲୋକେ ଭାବୁଥିଲେ। ପାଣି ବୋତଲ ଗୋଟେ ଧରି ବାବୁ ଚାଲିଥାଏ। ବାଟରେ ଗୋଟେ ଦୋକାନରୁ ୫ ଟଙ୍କାର କିଛି ଚକଲେଟ୍ କିଣି ପକେଟରେ ପୁରେଇଲା। ମୂଲିଆ ଚାରିଜଣ ତା' ସହିତ ଚାଲିଥାନ୍ତି। ସାଥିରେ ସେମାନଙ୍କର ୩ଟା ଛୁଆ ବି ଥାଆନ୍ତି। ଜମିରେ ପହଞ୍ଚିବା ପରେ ଆରମ୍ଭ ହେଇଗଲା, ଆଳୁ ଖୋଳା। ବାବୁ ସତର୍କତାର ସହ ଦେଖୁଥାଏ। ସବୁ ଠିକ୍ ଠାକ୍ ଚାଲିଲା। ଦିନ ୧୧ଟା ପରେ ଭୀଷଣ ଖରା ହେଲା। ମୂଲିଆ ଦଳ ସେ ପର୍ଯ୍ୟନ୍ତ ଚୋରୀ କରିବାର କୌଣସି ଲକ୍ଷଣ ବାବୁ ଦେଖିବାକୁ ପାଇଲାନି। ବଡ ମାଆ କଥା ଉପରେ ତା'ର ସନ୍ଦେହ ହେଉଥିଲା। ଖରାରେ ଥିବା ଦେଖି ବାବୁକୁ ସମବେଦନା ଜଣେଇବାକୁ ଯାଇ ଜଣେ ମୂଲିଆ କହି ପକେଇଲା, - ତୁମେ ବାବୁ ସହରୀ ଲୋକ, ଗଛ ଛାଇ ତଳେ ବସିଥାଅ; କେତେ ଆଉ ଖରା ଖାଇବ; ଆମେ ତ ଖୋଳୁଚୁ ଖରା ଭାରି କାଟୁଥିଲା। ସେମାନଙ୍କ କଥା ମାନି ବାବୁ କିଛି ସମୟ ଗଛ ଛାଇ ତଳେ ବସି ପଡିଲା। ବୋତଲରୁ ପାଣି ବାହାର କରି ପିଇଲା। ଘଣ୍ଟାଏ ସମୟ ସେମାନଙ୍କ ଛୋଟ ପିଲାଙ୍କ ସହିତ ଆଦରରେ କଥା ହେଇ ହେଇ କଟେଇଲା। ପକେଟରୁ ସବୁ ଚକଲେଟ୍ କାଢି ସେମାନଙ୍କୁ ଦେଲା। ପିଲା ଗୁଡାକ ଚକଲେଟ୍ ଖାଇ ବହୁତ ଖୁସି ହେଲେ। ସେମାନଙ୍କର ଖୁସି ବାବୁ ପାଇଁ ଅମୂଲ୍ୟ ଥିଲା। ବୋଧହୁଏ ସେମାନଙ୍କ ସହିତ ଗାଁ ଲୋକେ ସେମିତି ଉତ୍ତମ ବ୍ୟବହାର କରୁ ନଥିଲେ। କିଛି କ୍ଷଣ ସେମାନଙ୍କ ସହ କାଟିବା ପରେ ପୁଣି ଜମି ପାଖକୁ ବାବୁ ଗଲା। ନିଜେ ମୂଲିଆ ମାନଙ୍କୁ ଆଉ ଟିକେ ସାହାଯ୍ୟ କରିବାକୁ ଯାଇ ଆଳୁ ଖୋଳିବାରେ ଲାଗିଗଲା। ବାବୁକୁ ଆଳୁ ଖୋଳିବା ଦେଖି ପିଲାଗୁଡାକ ବାବୁ ସହିତ ମିଶିଗଲେ। ସେମାନେ କିନ୍ତୁ ଆଳୁ ଖୋଳା ସରିଥିବା ଜାଗା ଗୁଡାକର ମାଟିକୁ ବାରମ୍ବାର ଓଲଟାଇବାରେ ଲାଗିଲେ। ସେ ଭିତରୁ ପ୍ରଚୁର ମାତ୍ରାରେ ଆଳୁ ବାହାରିଲା। ଘଣ୍ଟାଏ ଭିତରେ ମୂଲିଆମାନେ ଏତେ ପରିମାଣରେ ଆଳୁ ଲୁଚେଇ ଦେଇଥିବେ, ବାବୁ ଭାବି ପାରିଲିନି। ବାହାରୁଥିବା ଆଳୁଗୁଡାକୁ ପିଲାମାନେ ଆଳୁ ଗଦାରେ ଜମେଇବାରେ ଲାଗିଗଲେ। ବାବୁ ସବୁ ଦେଖୁଥିଲେ ବି ଆଚମ୍ବିତ ନହେବାର ଅଭିନୟ କରୁଥିଲା।
Loading comments…