ମାଳିନୀ ନାଁରେ ଏମିତି କେତେ ଆଜେ ବାଜେ କଥା ଶୁଣି ମୋତେ ଭଲ ଲାଗୁନଥିଲା । ଭଲ ଲାଗୁ ନଥିଲା ଏଇଥିପାଇଁ ଯେ ମୁଁ ଯେତିକି ଜାଣିଥିଲି ମାଳିନୀ ସେମିତି ପିଲା ନ ଥିଲା । ଏଣୁ ମୋ ମନ ସ୍ୱୀକୃତି ଦେଉ ନଥିଲା ଲୋକେ ଯାହା କହୁଛନ୍ତି ସତ ବୋଲି । ଏଣୁ ଭାରି ଖୋଜୁଥିଲି ମନେ ମନେ ତାକୁ । ଦୈବାତ ସାବିତ୍ରୀ ଓଷା ଦିନ ମନ୍ଦିରରେ ତା ସହିତ ମୋର ଦେଖା ହୋଇଗଲା । କହିଥିଲି ରବିବାରିଆ କେତେବେଳେ ମୋତେ ଦେଖା କରିବାକୁ । ସତକୁ ସତ ଆଜି ରବିବାର ସକାଳୁ ସକାଳୁ ମାଳିନୀ ଆସି ହାଜର । ମୁଁ ପିଲାମାନଙ୍କ ସଫା କରୁଥାଏ । ସେ ଆସି ମୋ ହାତରୁ ଛଡେଇ ନେଲା ଲୁଗା ପଟା । ଆପଣ ଯାଆନ୍ତୁ ମୁଁ କାଚି ଦେଉଛି କହି । ଆରେ ନା ନା ତୁ ବଅ ମୁଁ କହିଲି । ସେ ନଛୋଡ ବନ୍ଦା । ଜୋର ଜବରଦସ୍ତ ନେଇ ଲୁଗା କାଚିଲା ଓ ଧୋଇ ଧାଇ ଛାତରେ ଶୁଖାଇ ଦେଲା । ମୁଁ ତାକୁ ଚା ଓ ପରଟା ଦିଟା ଖାଇବାକୁ ଦେଲି । କହିଲି ଆଜି ତୁ ଆମ ଘରେ ଖାଇକି ଯିବୁ । ନାହିଁ ନାହିଁ କରୁଥିଲା । କହିଲା କାହିଁକି ଆସିବାକୁ କହିଥିଲେ ଦିଦି? ମୁଁ କହିଲି ଏମିତି ଅନେକ ଦିନ ତୋତେ ଦେଖି ନଥିଲି ତ । ତା ଛଡା ରୋଷେଇ ବାସ ସାରେ ଖାଇବା ସରିଲେ କଥା ହେବା । କଣ ଭାବିଲା କେଜାଣି ଗୁମ ହୋଇଗଲା କ୍ଷଣେ । ମୁଁ ରୋଷେଇରେ ବ୍ୟସ୍ତ ରହିଲି । ସେ କି ବସିବା ଲୋକ ! ସେତିକି ସମୟରେ ଘର ସମସ୍ତ ଜିନିଷ ଛାଡି ଝୁଡ଼ି ଦେଲା । ଛାତ ଅଳନ୍ଧୁ ସଫା କଲା । ଚଟାଣ ପୋଛି ଦେଲା ବି । ମୁଁ କହିଲି ବସିବାକୁ ତୋତେ ଭଲ ଲାଗୁନିକି ? ଆସିଲା ପରଠୁ ତୋ ହାତ ତ ଥୟ ହେଉନି ।
Loading comments…