ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ପୁଣି ରାତି ଦଶ ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଦୀ ଘର। ଗୁହାଳେ ଅନେକ ଗୋରୁଗାଈ। ତା ସାଙ୍ଗକୁ ଧାନ ଉଁସା, ଘଷି ପରା, ଓଷା ବ୍ରତ ଏବଂ ବନ୍ଧୁବାନ୍ଧବ ଘରର ଯାବତୀୟ କାମ ଏକା କରୁଥିଲେ। ଏମିତିକି ଚାଷ ବାସ ସମୟରେ ଧାନ, ମୁଗ ବିରି ପାଛୁରା ପାଛୁରି କରି ବର୍ଷକ ପାଇଁ ସାଇତି ରଖିବାକୁ ପଡୁଥିଲା। ନିଜ ଖାଇବା ପିଇବା ଦେହ ମୁଣ୍ଡ କଥା ଦିନେ ମଧ୍ୟ ଭାବିବାକୁ ସମୟ ପାଇଁ ନାହାନ୍ତି ବୟସ ବେଳେ। ମନରେ ଗୋଟିଏ ଅଭିଳାଷ ପୁଅ ଅଙ୍କିତ ବଡ଼ ହୋଇଗଲେ ମୋ ଦୁଃଖ ସରିଯିବ। ଦଣ୍ଡେ ବସୁ ନ ଥିବା ମଣିଷଟି ଏବେ ସମୟ ନିକଟରେ ହାର ମାନିଛି। ବୟସ ତାଙ୍କୁ ପୋକଖିଆ ବାଉଁଶ ପରି ଦୁର୍ବଳ କରିଦେଇଛି। ବୋଉର ପାଟି ଶୁଣି ଘର ଭିତରୁ ଅଙ୍କିତ ଆସି ବୋଉ ଉପରେ ବହୁତ ବିରକ୍ତ ହେଲା। ରାଗରେ କହିଲା, "କଣ ଦରକାର ଆଡେ ସାଡେ ଯିବା। ଗୋଡ଼ ତ ଭଲ ନାହିଁ। ତତେ କିଏ କହୁଛି କାମ କରିବାକୁ। ବୁଲିବା ଗୋଟେ ତୋର ଅଭ୍ୟାସ, ଘେରାଏ ନ ବୁଲିଲେ ସତେ ଯେମିତି ଭାତ ହଜମ ହେବନି। ଜାଣିଛୁ ଏ ଗୋଡ଼ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲାଣି। ଛ ମାସରେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହେଲାଣି। ତତେ କଣ ଜଣା ପଡୁଛି। ଛ ମାସ ହେଲାଣି କେତେ କ୍ଷୀର ତୋ ପାଇଁ ଆସୁଛି ହିସାବ କରିଛୁ" ବୋଉ ଶାନ୍ତ ଚିତ୍ତରେ କହିଲେ, "ମୁଁ ହିସାବ କରିବା କଣ ଦରକାର। ତୁ ତ ହିସାବ କରୁଚୁନା...." ଚିନ୍ମୟୀ ଦେବୀଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ହସ ଥିଲା। ଅଙ୍କିତ ବୋଉ ଏମିତି ହସିବାର କେବେ ଦେଖିନି। ଅଙ୍କିତ ପାଇଁ ସେ ହସ ଥିଲା ମୋନାଲିସାର ହସ ଠୁ ବି ଆହୁରି ରହସ୍ୟମୟ। କିଛି ବି ବୁଝି ପାରିଲାନି ଅଙ୍କିତ, ବୋଉ ଦୁଃଖରେ ହସୁଛି ନା ଖୁସିରେ...
Loading comments…